ଡିଷ୍ଟାନ୍ସ, ଡିଜିଟାଲ୍ ଓ ଟେକ୍ନୋଲୋଜି ଭିତ୍ତିକ ଲର୍ଣ୍ଣିଂ ପଦ୍ଧତିରେ ଇଗ୍ନୋକୁ ଦୁନିଆର ଉନ୍ନତ ଅନୁଷ୍ଠାନ ବନାଇବା – ଧର୍ମେନ୍ଦ୍ର ପ୍ରଧାନ

ଦେଶବିଦେଶ ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଡିଷ୍ଟାନ୍ସ ଲର୍ଣ୍ଣିଂ, ଡିଜିଟାଲ ଲର୍ଣ୍ଣିଂ ଓ ଟେକ୍ନୋଲୋଜି ଭିତ୍ତିକ ଲର୍ଣ୍ଣିଂ ପଦ୍ଧତି ମାଧ୍ୟମରେ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)କୁ ଦୁନିଆର ଉନ୍ନତ ଅନୁଷ୍ଠାନ ବନାଇବା ଦିଗରେ କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବୁଧବାର ଭିଡିଓ କନଫରେନ୍ସିଂ ଜରିଆରେ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ୬ଟି ଆଞ୍ଚଳିକ କେନ୍ଦ୍ରର ନୂତନ ଭବନର ଲୋକାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ଅଗରତାଲା, ବାଙ୍ଗାଲୁରୁ, ପୁଣେ, ଜମ୍ମୁ, ପୋର୍ଟ ବ୍ଲେୟର ଏବଂ ନୋଏଡାରେ ଇଗ୍ନୋର ନୂଆ ଭବନ ଲୋକାର୍ପଣ ହେବା ସହ ବିଜୟଓ୍ୱାଡା ଆଞ୍ଚଳିକ କେନ୍ଦ୍ରର ଭୂମିପୂଜନ ହୋଇଛି । ସେହିପରି ଇଗ୍ନୋର ଇଲେକ୍ଟ୍ରୋନିକ୍ସ ମିଡିଆ ପ୍ରଡକ୍ସନ ସେଣ୍ଟରର ଅତ୍ୟାଧୁନିକ ବୋର୍ଡକାଷ୍ଟ ସୁବିଧା ଅପଗ୍ରେଡେସନର ଉଦଘାଟନ ହୋଇଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଇଗ୍ନୋ ଦେଶରେ ନିଜର ବିଶ୍ୱସନୀୟ ଦେଖାଇଆସିଛି । ବିଗତ ଦଶକରେ ବିଦ୍ୟାର୍ଥୀ ଡିଗ୍ରୀ ଓ ଦକ୍ଷତା ଦେବାରେ ନିଜର ଦାୟିତ୍ୱ ନିର୍ବାହ କରିଆସିଛି । ସମୟର ଆବଶ୍ୟକତା ଓ ଚାହିଦା ଅନୁସାରେ ଇଗ୍ନୋ ନିଜକୁ ପରିବର୍ତ୍ତନ କରିଛି । ଦେଶରେ ୫୭ଟି ଆଞ୍ଚଳିକ କେନ୍ଦ୍ର ଓ ୨ହଜାର ଷ୍ଟଡି ସେଣ୍ଟର ମାଧ୍ୟମରେ ପ୍ରାୟ ୩୫ ଲକ୍ଷ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ପାଠପଢା ସହ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଇଗ୍ନୋ ନିଜର ପାଠପଢା ପ୍ରକ୍ରିୟା ଜାରି ରଖିଛି । ୨୦୪୭ ସୁଦ୍ଧା ଦେଶକୁ ଅର୍ଥନୀତି କ୍ଷେତ୍ରରେ ଆଗକୁ ନେବା ପାଇଁ ଆମେ ଲକ୍ଷ୍ୟ ରଖିଛେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ସ୍ୱପ୍ନ ପୂରଣ କରିବାକୁ ହେଲେ ନୂଆପିଢିଙ୍କ ସାମର୍ଥ୍ୟ ଓ ଦକ୍ଷତାକୁ ବଢାଇବାକୁ ହେବ । ଦେଶରେ ଡିଜିଟାଲ ୟୁନିଭରସିଟିର କଳ୍ପନା କରାଯାଇଛି । ଏହାକୁ ଆଗାମୀ ଦିନରେ ଅଧିକ ପ୍ରାସଙ୍ଗିକ ଭାବେ ଦେଖିବାକୁ ହେବ । ଯେତେବେଳେ ଦେଶରେ ୬ଜି ଆପଣା ଯାଉଛି, ତାହାର ଅଧିକ ଲାଭ ଶିକ୍ଷା ସମାଜକୁ ମିଳିବ । ଓପନ ୟୁନିଭର୍ସିଟି ଏହାର ଆଗରେ ରହିବ । ଏହାକୁ ଦୃଷ୍ଟିରେ ରଖି ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁଯାୟୀ ପାଠ୍ୟକ୍ରମକୁ ଭବିଷ୍ୟତବାଦୀ ଏବଂ ସର୍ବସ୍ପର୍ଶୀ କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।


ସେୟାର କରନ୍ତୁ