କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ଚୁଳିଆ ଗ୍ରାମ ନିକଟରେ ଜଣେ OPTCL କର୍ମଚାରୀଙ୍କୁ ଖଣ୍ଡାରେ ହାଣି ଲୁଟ କରିଛନ୍ତି ଦୁର୍ବୁତ୍ତ । ଗୁରୁତର OPTCL କର୍ମଚାରୀ ଜଣଙ୍କ ହେଲେ ଭୁବନ ଏନଏସି ଅନ୍ତର୍ଗତ ୬ ନଂ ଓ୍ବାର୍ଡର ରାକେଶ କୁମାର ଦାସ । ରାକେଶ ନିଜ ବାଇକ ଯୋଗେ ଘରୁ ବାହାରି ମେରାମଣ୍ଡଳୀ ସ୍ଥିତ OPTCL ଅଫିସକୁ ଡ୍ୟୁଟିରେ ଯାଉଥିବା ବେଳେ ଆକ୍ରମଣ। ସୁଚନା ମୁତାବକ ଚୁଳିଆ ଗ୍ରାମ ନିକଟରେ ଗାଡି ରଖି ଏକ ଗଛମୁଳେ ରହି ପାଣି ପିଉଥିବା ବେଳେ ୫ ରୁ ୬ ଜଣ ଦୁର୍ବୁତ୍ତ ବାଇକରେ ଆସି ତାଙ୍କ ଉପରକୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ ।
ଏଥିସହିତ ରାକେଶଙ୍କ ବ୍ୟାଗକୁ ଲୁଟି ନେଇଥିଲେ । ବ୍ୟାଗରେ ଦରକାରୀ କାଗଜ ପତ୍ର ସହିତ ପ୍ରାୟ ୨୨ ଶହ ଟଙ୍କା ଥିବା ଜଣାପଡିଛି। ରାକେଶଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି NHAI ପାଟ୍ରୋଲିଂ ଗାଡି ସାହାର୍ଯ୍ୟରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଡାହାଣ ହାତ,କାନ୍ଧ, ଜଙ୍ଘ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି । ରାକେଶଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏ ନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।