କଳା ପଲସର ଆତଙ୍କ…ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନେଇଗଲେ ସୁନାଚେନ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜଧାନୀରେ ପୁଣି କଳା ପଲସର ଆତଙ୍କ ଦେଖିବାକୁ ମିଳିଛି । ପ୍ରାତଃ ଭ୍ରମଣରେ (ମର୍ଣ୍ଣିୱାର୍କ) ଯାଇଥିବା ଜଣେ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁର୍ବୃତମାନେ ନେଇଯାଇଛନ୍ତି ୨୦ ଭରି ଓଜନର ସୁନାଚେନ । ଯାହା ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଲୁଟର ଶୀକାର ହୋଇଥିବା ମହିଳା ଜଣଙ୍କ ହେଲେ ତମାଣ୍ଡୋ ଥାନା ଅଧିନ କଳିଙ୍ଗନଗରର ପ୍ରମୋଦିନୀ ଦାସ । ପୁଲିସ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଦୁର୍ବୃତମାନଙ୍କୁ ଧରିବା ପାଇଁ ଚଢଉ ଜାରି ରଖିଛି ।

ସୂଚନାଯୋଗ୍ୟ, ତମାଣ୍ଡୋ ଥାନା କଳିଙ୍ଗନଗର ଏମଆଇଜି ପ୍ଲଟ ନମ୍ବର କେ-୯-ଏ/୧୦ଏରେ ରହୁନ୍ତି ଲକ୍ଷ୍ମୀନାରାୟଣ ଦାସ ଓ ପତ୍ନୀ ପ୍ରମୋଦିନୀ ଦାସ । ସୋମବାର ଭୋର ସମୟରେ ଦମ୍ପତ୍ତି ଦ୍ୱୟ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଇଣ୍ଡିଆନ ଓଭରସିସ ବ୍ୟାଙ୍କ ସମ୍ମୁଖରେ ଏକ କଳା ପଲସରରେ ଦୁଇଜଣ ଯୁବକ ଆସିି ସେମାନଙ୍କୁ ପିଛା କରିଥିଲା । କେହି କିଛି ବୁଝିବା ଆଗରୁ ଦୁର୍ବୁତମାନେ ପ୍ରମୋଦିନୀଙ୍କ ବେକୁ ସୁନାଚେନ ଝାମ୍ପି ନେଇ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ । ହେଲେ ଲୁଟ ବେଳେ ପ୍ରମୋଦିନୀ ଚେନକୁ ହାତରେ ଜାବୁଡି ଧରି ପକାଇଥିଲେ । ଫଳରେ ଚେନର ୭୫ ପ୍ରତିଶତ ଭାଗ ଲୁଟେରାଙ୍କ ହାତରେ ପଡିଥିଲା ।

ଦମ୍ପତ୍ତି ଦ୍ୱୟ ପାଟି କରିବାକୁ ଉଦ୍ୟମ କଲାବେଳେ ଲୁଟେରାମାନେ ଦମ୍ପତ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଜୀବନରେ ମାରି ଦେବାକୁ ଧମକ ଚମକ ଦେଇଥିଲେ । ଭୟଭିତ ହୋଇ ଦମ୍ପତ୍ତି ଦ୍ୱୟ ଚୁପଚାପ ସେଠାରେ ଠିଆ ହୋଇ ରହିଥିଲେ । ପରେ ଲୁଟେରାମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଅଭିଯୁକ୍ତଙ୍କୁ ଧରିବା ପାଇଁ ସେମାନେ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ ।


ସେୟାର କରନ୍ତୁ